ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ
ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ। ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନବଦିନ, ତ୍ରିଦିନ ଧରି ପାଳିତ ହୁଏ । ମୁଖ୍ୟତ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନ ର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷ ମଧ୍ୟ ବାସନ୍ତୀ ନବରାତ୍ର ରୂପେ ପରିଚିତ । ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ଦେବୀ ଦୁର୍ଗା ଦୁଃଖନାଶିନୀ । ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ । ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ।ଅର୍ଣର ଅର୍ଥ ଅକ୍ଷର।ନବାର୍ଣ୍ଣ ମନ୍ତ୍ରଟି ହେଉଛି – ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ । ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ।
ମା’ଙ୍କ ନାମ
ଦୁର୍ଗାଙ୍କର ୧୦୮ଟି ନାମ ଅଛି।ସେଗୁଡିକ ହେଲା: ସତୀ,ସାଧ୍ଵୀ, ଭବପ୍ରିତା, ଭବାନୀ, ଭବମୋଚନୀ, ଆର୍ଯ୍ୟା, ଦୁର୍ଗେ, ଜୟା, ଆଧ୍ୟା, ଅଭୟା, ମାୟା, ତ୍ରିନେତ୍ରା, ଶୂଳଧାରିଣୀ, ପିନାକଧାରିଣୀ, ଚିତ୍ରା, ଚନ୍ଦ୍ରଘଣ୍ଟା, ମହାତପା, ବୁଦ୍ଧି, ଅହଙ୍କାରା, ଚିତ୍ତରୁପା, ଚିତା, ସର୍ବମନ୍ତ୍ରମୟୀ, ସତ୍ତା, ସତ୍ୟାନନ୍ଦସ୍ଵରୁପିଣୀ, ଅନନ୍ତା, ଭାବିନୀ, ଭବ୍ୟା, ଅଭୟା, ସଦାଗତୀ, ସାମ୍ଭାବୀ, ଦେବମାତା, ଚିନ୍ତା, ରତ୍ନପ୍ରିୟା, ସର୍ବବିଦ୍ୟା, ଦକ୍ଷକନ୍ୟା, ଦକ୍ଷଯଜ୍ଞବିନାସିନୀ, ଅପର୍ଣ୍ଣା, ଅନେକବର୍ଣ୍ଣା, ପାଟଳା, ପାଟଳାବତୀ, ପଟାମ୍ବରପରିଧାନା, କଲମଞ୍ଜରୀରଞ୍ଜିନୀ, ଅମୟା, ବିକ୍ରମା, କ୍ରୂରା, ସୁନ୍ଦରୀ, ସୁରସୁନ୍ଦରୀ, ବନଦୁର୍ଗା, ମାତଙ୍ଗୀ, ମାତଙ୍ଗମୁନିପୂଜିତା, ବ୍ରାହ୍ମୀ, ମାହେଶ୍ଵରୀ, ଐନ୍ଦ୍ରୀ, କୌମାରୀ, ବୈଷ୍ଣବୀ, ଚାମୁଣ୍ଡା, ବାରାହୀ, ଲକ୍ଷ୍ମୀ, ପୁରୁଷାକୃତି, ବିମଳା, ଉତ୍କର୍ଷିଣୀ, ଜ୍ଞାନା, କ୍ରିୟା, ନିତ୍ୟା, ବୁଦ୍ଧିଦା, ବହୁଳା, ବହୁଳାପ୍ରେମା, ସର୍ବବାହନବାହାନା, ନିଶୁମ୍ଭଶୁମ୍ଭହନନୀ, ମହିଷାସୁର ମର୍ଦ୍ଦିନୀ, ମଧୁକୈଟଭହନ୍ତ୍ରୀ, ଚଣ୍ଡମୁଣ୍ଡବିନାଶିନୀ, ସର୍ବସୁର ବିନାଶା, ସର୍ବଦାନବଘାତିନୀ, ସର୍ବଶାସ୍ତ୍ରମୟୀ, ସତ୍ୟା, ସର୍ବଶସ୍ତ୍ରଧାରିଣୀ, ଅନେକ ଶସ୍ତ୍ରହସ୍ତା, ଅନେକାସ୍ତ୍ରଧାରିଣୀ, କୁମାରୀ, ଏକକନ୍ୟା, କୈଶୋରୀ, ଯୁବତୀ, ଯତିଃ, ଅପ୍ରୌଢା, ପ୍ରୌଢା, ବୃଦ୍ଧମାତା, ବଳପ୍ରଦା, ମହୋଦରୀ, ମୁକ୍ତକେଶୀ, ଘୋରରୂପା, ମହାବଳା, ଅଗ୍ନିଜ୍ଵାଳା, ରୌଦ୍ରମୁଖୀ, କାଳରାତ୍ରିଃ, ତପସ୍ଵିନୀ, ନାରାୟଣୀ, ଭଦ୍ରକାଳୀ, ବିଷ୍ଣୁମାୟା, ଜଳୋଦରୀ, ଶିବଦୂତୀ, କରାଳୀ, ପରମେଶ୍ଵରୀ, କାତ୍ୟାୟନୀ, ସାବିତ୍ରୀ, ପ୍ରତ୍ୟକ୍ଷା ଓ ବ୍ରହ୍ମାବାଦିନୀ ।
ପ୍ରିୟ ରଙ୍ଗ
ଦୁର୍ଗାଙ୍କ ପ୍ରିୟ ରଙ୍ଗ ଲାଲ। ଲାଲ ରଙ୍ଗ ସବୁଠୁ ପ୍ରଖର ଓ ଶକ୍ତି ସମନ୍ବିତ।ମଙ୍ଗଳ ଗ୍ରହର ପ୍ରତିକ ଲାଲ।ଦେବ ଓ ଦାନବଙ୍କ ମଧ୍ୟରେ ଯୁଦ୍ଧ ଚାଲୁଥିବା ବେଳେ ମଙ୍ଗଳ ଗ୍ରହ ଶକ୍ତିରୂପୀ ଦୁର୍ଗାଙ୍କୁ ସହଯୋଗ କରି ସଂହାରକ ଶକ୍ତି ପ୍ରଦାନ କରିଥିଲେ।ଦାନବଙ୍କୁ ନିରନ୍ତର ସଂହାରକରି ଦୁର୍ଗାଙ୍କ ଆଖି,ସୀମନ୍ତ,ବସ୍ତ୍ର,ଅସ୍ତ୍ରଶସ୍ତ୍ର ସବୁ ରକ୍ତରଞ୍ଜିତ ଅର୍ଥାତ ଲାଲ ରଙ୍ଗ ହେଇଯାଇଥିଲା। ଦେବୀଙ୍କୁ ଲାଲ ରଙ୍ଗର ବସ୍ତ୍ର, ରୋଲି, ଚନ୍ଦନ, ସିନ୍ଦୂର, ଲାଲ ଓଢ଼ଣୀ ଓ ଆଭୂଷଣ ଅର୍ପଣ କରାଯାଇଆସୁଛି। ନବରାତ୍ରି ଅବସରରେ ସର୍ବପ୍ରଥମେ ନବଦୁର୍ଗାଙ୍କୁ ଲାଲ ବସ୍ତ୍ର ଅର୍ପଣ କରାଯାଇଥାଏ। ପୂଜାର୍ଚ୍ଚନା ପୂର୍ବରୁ କଳସରେ ଲାଲ କପଡା ଉପରେ ନଡ଼ିଆ ରଖାଯାଏ। ପୂଜାର୍ଚ୍ଚନାର ସମସ୍ତ ସାମଗ୍ରୀ ଲାଲ୍। ପୂଜାନୁଷ୍ଠାନରେ ମଙ୍ଗଳ ଗ୍ରହଙ୍କ କୃପା ଓ ଅନୁକୁମ୍ପା ଲାଭ ପାଇଁ ଦେବୀଦୁର୍ଗାଙ୍କ ଠାରେ ଲାଲ ରଙ୍ଗ ଚଢାଯାଇଥାଏ।
ଶକ୍ତିପୀଠ
ଶକ୍ତିଙ୍କୁ ମଧ୍ୟ ବିଦ୍ୟା କୁହାଯାଏ।ଶକ୍ତି ହେଉଛନ୍ତି ମୋକ୍ଷଦାୟିନୀ।ଦୁର୍ଗା ବା ପାର୍ବତୀଙ୍କର ୫୧ ଶକ୍ତିପୀଠ ପୁରାଣରେ ସ୍ଵୀକୃତ । କେତେକ ଶକ୍ତିପୀଠ ରହିଯାଇଛି ପାକିସ୍ତାନ ଓ ବାଂଲାଦେଶ ରେ । ପ୍ରଥମ ଶକ୍ତିପୀଠ ହିଙ୍ଗୁଳା ବା ହିଙ୍ଗଳାଜ ପାକିସ୍ତାନର କରାଚିରେ ଅବସ୍ଥିତ । ସେହି ପରି ସର୍କରରେ ଶକ୍ତିପୀଠ ପାକିସ୍ତାନର ସୁକ୍କର ଷ୍ଟେସନ ନିକଟରେ ଅବସ୍ତିତ । ସୁଗନ୍ଧ, ଛତ୍ରାଳ ଇତ୍ୟାଦି ଶକ୍ତିପୀଠ ବାଂଲାଦେଶର ଶିକାରପୁରରେ ଅବସ୍ତିତ। ଗୁହ୍ୟେଶ୍ଵରୀ ପୀଠ ନେପାଳରେ ଅବସ୍ତିତ । ପୁରାଣରେ ଏକାବନ ଶକ୍ତିପୀଠର ବିସ୍ତୃତ ବର୍ଣ୍ଣନା ରହିଛି।କେତେକ ପ୍ରମୁଖ ଶକ୍ତିପୀଠ ହେଲା-କିରୀଟ କାତ୍ୟାୟନୀ, କରବୀର, ଶ୍ରୀ ପର୍ବତ, ବିଶାଳାକ୍ଷୀ, ସୁଚିନ୍ଦ୍ରମ, ପଞ୍ଚସାଗର, ଜ୍ଵାଳାମୁଖୀ, ଭୈରବ ପର୍ବତ, ଅଟ୍ଟହାସ, ଜନସ୍ଥାନ, କାଶ୍ମୀର, ନନ୍ଦିପୁର, ଶ୍ରୀଶୈଳ, ନଳହଟୀ, ମିଥିଳା, ରତ୍ନାବଳୀ, ଅମ୍ବାଜୀ, ଜାଳନ୍ଧ୍ର, ରାମଗିରି, ହାର୍ଦ୍ଦ, ବକତ୍ରୋଶ୍ଵର, କନ୍ୟକାଶ୍ରମ କନ୍ୟାକୁମାରୀ, ବହୁଳା, ମଣିବେଦିକା, ବିରଜା, କାଞ୍ଚି, କାଳମାଧ୍ଵ, ଶୋଣ, କାମରୂପ କାମାକ୍ଷା, ଜୟନ୍ତୀ, ମଗଧ, ତ୍ରିସ୍ତୋତା, ତ୍ରିପୁରୀ ସୁନ୍ଦରୀ, ବିଭାସ, ଦେବୀକୂପ, ପୀଠକୁରୁକ୍ଷେତ୍ର, ଅମ୍ବିକା, କାଳୀ, ମାନସ, ଲଙ୍କା, ଗଣ୍ଡକୀ, ହିଙ୍ଗଳାଜ, ସୁଗନ୍ଧ, କରତ୍ୟୋୟଘାଟ, ଚଟ୍ଟଲ ଓ ଜଶରେଶ୍ଵରୀ ଶକ୍ତିପୀଠ ।