ଗାଁର କାହାଣୀ

ଗାଁର କାହାଣୀ

ବର୍ଣ୍ଣିବି ଗାଁର କାହାଣୀ

କେମିତି ବର୍ଣ୍ଣିବି ଗାଁର କାହାଣୀ
ନାହିଁ ସେ ପୁରୁଣା ଦିନ
ଶରୀରଟା ସିନା ସହରେ ପଡ଼ିଛି
ଗାଁରେ ରହିଛି ମନ
କେ କହେ ଗାଁ ଟି ଗାଁ ହେଇ ନାହିଁ
ସହରକୁ ଗଲା ବଳି
ଗୁହାଳ ନାହିଁ କି ନାହିଁ ଗାଈଗୋଠ
ନାହିଁ ବି ସେ ଦାଣ୍ଡ ଧୂଳି
ସକାଳ ପହରୁ ଚାଳ ମଥାନରୁ
ରାବୁନି ଡାମରା କାଉ
ଚାଳଘର ଭାଙ୍ଗି କୋଠା କଲାଦିନୁ
ପିଢ଼ାରେ ମାଡୁନି ନାଉ
ନଈ ପଠା ଦେହେ ପଡୁ ନାହିଁ ଆଉ
ଗହମ ରଙ୍ଗର ଖରା
କାହାଳିଆ ଦିଶେ ସଂଜୁଆ ଆକାଶ
ଫିକା ଲାଗେ ଜହ୍ନ ତାରା
ଶୁଭୁନି ଶୃଗାଳ ହୁକେ ହୋ ଡାକ
ବାଛୁରୀର ହମ୍ମା ହମ୍ମା
ଘରଚଟିଆଙ୍କ କିଚିରି ମିଚିରି
କାନରେ ବାଜୁନି ଜମା।
ମାଟି ଅଗଣାର କୋମଳ ପରସ
ପାଉନାହିଁ ଆଉ ମୁହିଁ
ଖାଳେଇ ପୋଳୁହ ପକ୍ଷିଆ ଅମାର
ଦେଖିବାକୁ ମିଳୁନାହିଁ।
ଶେକୁନି କେ ଦେହ ଶୀତ ସକାଳରେ
ଗାଁ ମୁଣ୍ଡେ ଧୂନି ଜାଳି
ମିଳୁ ନାହିଁ ଆଉ ଉଦବୁଢ଼ା ବାଡି
ସୁଆଦିଆ ବରକୋଳି।
ପୋଖରୀ ହୁଡ଼ାରୁ ଶୁଭୁନାହିଁ ଆଉ
ବୁଢ଼ୀ ବେଙ୍ଗୁଲିର ରଡ଼ି
ଚାଲିଗଲେ ସବୁ ଦୂର ସହରକୁ
ଗାଁର ସରାଗ ଛାଡ଼ି।
ବିଷ ବଳୟରେ ନିଃଶ୍ୱାସ ନେଉଛେ
ସହରରେ କରି ଘର
ଥରେ ମୋ ଗାଁ କୁ ମାଆ ବୋଲି ଡାକ
ଲାଗିବ ସେ ଆପଣାର
ସମସ୍ତେ କହୁଛ ଗାଁ ବଦଳିଲା
ବଦଳି ନାହିଁ ସେ ତିଳେ
ପରିବର୍ତ୍ତନର ମିଛ ଦ୍ୱାହିଦେଇ
ଆମେତ ବଦଳି ଗଲେ।
ଚାଲି ଆସ ଆହେ ସଖାସହୋଦର
ସହରକୁ କରି ପର
ଜନମିଛି ଯେଉଁ ମାଟି ମା ତୋତେ
ସେ ପରା ଆପଣା ତୋର।