Chaitra Mangalwar Osa Book Odia

Chaitra Mangalwar Osa Book Odia

Chaitra Mangalwar Osa Book Odia

ଚୈତ୍ର ମଙ୍ଗଳା ଓଷା କଥା 

ବନ୍ଦଇ ଶାରଳା ମାଗୋ ତୁମ୍ଭ ଶ୍ରୀଚରଣେ ।

ଲେଖୁଅଛି ପଦ ମାନ କହିଦେବମନେ ।।

ନମଇଁ ଶାରଳା ମାଗୋ ଶିବଙ୍କ ଘରଣୀ ।

ଝଙ୍କଡ଼ପୁର ବାସିନୀ ମହିଷାମର୍ଦ୍ଦିନୀ ।।

ଅମ୍ବିକା କାଳିକା ବେତାଳିକା ତୋର ନାମ ।

ଦୁର୍ଗାମହାମାୟୀ ଗୋ ମଙ୍ଗଳା ତୋର ନାମ ।।

ଜୟ ଶ୍ରୀ ମଙ୍ଗଳା ମାଗୋ ତାରା କାତ୍ୟାୟନୀ ।

ସଙ୍ଗତରେ ରଖିଅଛୁ ଚଉଷଠି ଯୋଗ୍ନୀ ।।

ମୁହିଁ ମୂର୍ଖ ଅପାଣ୍ଡୁକ ନ ଜାଣଇ କିଛି ।

କଣ୍ଠରେ ବସିଣ ପଦ କହିଦେବ ବାଛି ।।

ll ଅର୍ଜୁନ ଉବାଚ ll

ଅର୍ଜୁନ ବୋଲନ୍ତି ତୁମ୍ଭେ ଶୁଣ ଦାଶରଥି ।

ବୁଝାଇଣ କହ ମୋତେ ମଙ୍ଗଳାଙ୍କ ସ୍ତୁତି ।।

ଶ୍ରୀହରି ବୋଲନ୍ତି ତୁମ୍ଭେ ଶୁଣ ହେ ଅର୍ଜୁନ ।

ଆଣ୍ଠୁକୁଡ଼ା ରାଜାକୁ ଯେ ଦେଲେ ପୁତ୍ରଦାନ ।।

ମୋହର ଚରଣେ ତାଙ୍କ ନ ଭଜିଲା ମନ ।

ତେଣୁକରି ଆଣ୍ଠୁକୁଡ଼ା ହେଲେ ସବୁଜନ ।।

ଏକମନ ହୋଇ ଯେଣୁ ନ ଭଜିଲେ ମୋତେ ।

ତେଣୁ କରି ମଙ୍ଗଳା ଯେ ଗଲେକ ତୁରିତେ ।।

ଦିବ୍ୟରୂପ ତେଜି ମାଏ ବୃଦ୍ଧା ରୂପହେଲେ ।

ଚକ୍ଷୁ ମେଞ୍ଚା ମେଞ୍ଚା ଆଖି ପିଛଡ଼ା ବହିଲେ ।।

କନା କତରା ମାଏ ପରିଧାନ କଲେ ।

କେନ୍ଦୁ ଯେ କଇଁଥ ଚାର ଘେନିଣ ଚଳିଲେ ।।

ସେଦିନ ଯେ ମଙ୍ଗଳାଙ୍କ ପୂଜାବିଧି ଦିନ ।

ତେଣୁ କରି ବିଜୟେ କଲେକ ତତକ୍ଷଣ ।।

ନଗ୍ର ହାଟବାଟ ବୁଲି ଡାକ ଯେ ଦିଅନ୍ତି ।

କେନ୍ଦୁ କେନ୍ଦୁ ଚାର ନିଅ ବୋଲିଣ ବୋଲନ୍ତି ।।

ତାହାଶୁଣି ନଗ୍ରଲୋକେ ଆଣ ଗୋ ବୋଲନ୍ତି ।

ତାଙ୍କ ରୂପଦେଖି ଲୋକେ ଛି ଛି ଯା କରନ୍ତି ।।

ଚକ୍ଷୁ ମେଞ୍ଚାମେଞ୍ଚା ଆଖିପିଛଡ଼ା ବହୁଛି ।

ଏହାଠାରୁ କେନ୍ଦୁଚାର ନଘେନିବା କିଛି ।।

କେନ୍ଦୁଚାର ତାହାଠାରୁ କେହି ନ କିଣିଲେ ।

ତାହାଶୁଣି ମଙ୍ଗଳାଯେ ବିଜେ କରିଗଲେ ।।

ହାଟଦାଣ୍ଡେ ନଗ୍ରଲୋକେ କେହି ନ କିଣିଲେ ।

ଏଣୁକରି ମହାମାୟୀ ବିରସ ହୋଇଲେ ।।

ମନେ ମନେ ବିଚାର କରନ୍ତି ମହାସତୀ ।

ରାଜାର ନଗ୍ରକୁ ବୁଲିଗଲେକ ତଡ଼ତି ।।

ରାଜାର ନବରେ ଯାଇ ପ୍ରବେଶ ହୋଇଲେ ।

କେନ୍ଦୁଚାର ନିଅ ବୋଲି ବୋଲିଣ ବୋଇଲେ ।।

ଛି ଛି ଦୂରକରି ତାଙ୍କୁ ଘଉଡ଼ିଲେ ଯହୁଁ ।

ରାଜାର ନବରୁ ବିଜେ କରୁଥିଲେ ତହୁଁ ।।

ତରତର ହୋଇ ଚାଣ୍ଡାଳୁଣୀ ଯାଉଥିଲା ।

ଆସୁଥିଲେ ମାଏ ତାଙ୍କୁ ବାଟରେ ଭେଟିଲା ।।

ଚାଣ୍ଡାଳୁଣୀ ବୋଲୁଅଛି କାହୁଁ ଯେ ଅଇଲ ।

କେବଣ ଦେଶରୁ ତୁମ୍ଭେ ଏଥେ ବିଜେକଲ ।।

ମାଏ ବୋଲୁଛନ୍ତି ତୁମ୍ଭେ ଶୁଣ ଚାଣ୍ଡାଳୁଣୀ ।

ନଗ୍ର ନରନାରୀ ମୋତେ ନ ଚିହ୍ନିଲେ ପୁଣି ।।

ମୁହିଁ ସର୍ବମଙ୍ଗଳା ଯେ ଘଉଡ଼ିଲେ ମୋତେ ।

ତୁ କେବଣ କାରଣେ ଯେ ପୁଚ୍ଛାକଲୁ ମୋତେ ।।

ଏହାଶୁଣି ଚାଣ୍ଡାଳୁଣୀ ପାଦରେ ପଡ଼ିଲା ।

ନିସ୍ତରିଲି ନିସ୍ତରିଲି ବୋଲିଣ ବୋଇଲା ।।

ମୁହିଁ ତୁମ୍ଭ ଦ୍ୱାରେ ନିତି ସେବଇ ଚରଣେ ।

ତୁମ୍ଭସେବା ଆଜମୁହିଁ କରିବି ଆପଣେ ।।

ତାହା ଶୁଣି ମଙ୍ଗଳା ଯେ କେନ୍ଦୁଚାର ଦେଲେ ।

ଅପୁତ୍ରିକ ପୁତ୍ରଧନ ହେଉ ସେ ବୋଇଲେ ।।

ମୋର ସେବାସାରି ତୁ ଅଇଲୁ କେନ୍ଦୁଚାର ।

ମୋତେ ସୁମରଣା କରି ଖାଇବୁ ଯେ ଫଳ ।।

ଏତେକହି ମଙ୍ଗଳାଯେ ବିଜେ କରିଗଲେ ।

ନିଜ ଭୁବନରେ ଯାଇ ପ୍ରବେଶ ହୋଇଲେ ।।

କେନ୍ଦୁଚାର ଘେନି ଚାଣ୍ଡାଳୁଣୀ ଗଲା ।

ଉତ୍ତମ ପଦାର୍ଥମାନ ବଜାରୁ ଆଣିଲା ।।

ଖଇମୁଆଁ ନବାତ ଶାକର ଛେନାପଣା ।

ଗୁଡ଼ଦୁଧ ମିଠାଇ ଯେ କରିଲେକ କିଣା ।।

ଯତ୍ନରେ ପଦାର୍ଥମାନ ଘରକୁ ଆଣିଲା ।

ଚନ୍ଦନ କର୍ପୂର ପାଣି ଗୃହରେ ଛିଞ୍ଚିଲା ।।

ଅଗଣା ଭିତରେ ଏକ ବେଦୀ ତିଆରିଲା ।

ଗୋବର ଲିପିଣ ତହିଁ ଝୋଟି ଯେ ଲେଖିଲା ।।

ଜୟଶ୍ରୀ ମଙ୍ଗଳା ବୋଲି ଘଟକେ ସ୍ଥାପିଲା ।

ହଳଦୀ ଗୁଣ୍ଡରେ ଏକ ମୂର୍ତ୍ତି ତିଆରିଲା ।।

ଗଙ୍ଗାଜଳ ଛିଞ୍ଚି ତହିଁ  ବସିଲେକ ଯାଇ ।

ମନରେ ସ୍ମରଣା କରି ମଙ୍ଗଳାଙ୍କୁ ଧ୍ୟାୟୀ ।।

ଚାଣ୍ଡାଳୁଣୀ ହୀନଜାତି ଜାତି ମୋର କେଳା ।

କିଞ୍ଚିତେ ଭକତି ମୋର ଘେନ ମା ’ ମଙ୍ଗଳା ।।

କେନ୍ଦୁ କେନ୍ଦୁଚାର ତହିଁ ଭୋଗ ଲଗାଇଲା ।

ଅମୃତ ପଦାର୍ଥମାନ ସବୁ ସମର୍ପିଲା ।।

ଛେଳି ମେଣ୍ଢା କୁକୁଡ଼ା ଯେ ବଳିପୂଜା କଲା ।

ପୂଜାସାରି ଚାଣ୍ଡାଳୁଣୀ ଆନନ୍ଦ ହୋଇଲା ।।

ଫୁଲ ପରସାଦ ନେଇ ଶିରରେ ଘେନିଲା ।

ମଙ୍ଗଳା ସୁମରି କେନ୍ଦୁଚାର ଯେ ଭକ୍ଷିଲା ।।

ପୂଜାର ପଦାର୍ଥମାନ ନେଲାକ ଝଟତି ।

ମଙ୍ଗଳାଙ୍କୁ ସୁମରି ଭକ୍ଷିଲା ତା’ର ପ୍ରତି ।।

ସେହିଦିନ ଚଣ୍ଡାଳୁଣୀ ଗର୍ଭବାସ ହେଲା ।

ଦିନ ଗଣୁ ଗଣୁ ତହୁଁ ଦଶମାସ ହେଲା ।।

ଦଶମାସ ଦଶଦିନ ହୋଇଲାକ ପୁଣ ।

ପେଟ ବଥାଇଲା ତା’ର ହୋଇ କିଛିକ୍ଷଣ ।।

କୁଜୁକୁଜୁ ହୋଇ ଆଉ ନପାରଇ ଚାଲି ।

ମଙ୍ଗଳାଙ୍କୁ ସୁମରି ସେ ବୋଲେ ମରିଗଲି ।।

ରାତ୍ରିପାହି ବେଳ ତହୁଁ ସାତଘଡ଼ି ହେଲା ।

ଫୁଲଫଳେ ତାହାର ଯେ ପୁତ୍ରହିଁ ଜନ୍ମିଲା ।।

ପୁଣି କ୍ଷଣକରେ ସେହୁ ପାଇଲାକ ଜ୍ଞାନ ।

ଏତେଦିନେ ମଙ୍ଗଳା ଯେ ଦେଲେ ଚକ୍ଷୁ ଦାନ ।।

ନାହୁଡ଼ି କାଟିଣ ପୁତ୍ର ବସାଇଲେ କୋଳେ ।

ମୁଖେ ଚୁମ୍ବ ଦେଇ ତହିଁ ଆନନ୍ଦ ହୋଇଲେ ।।

ନଗ୍ର ନରନାରୀମାନେ ସମସ୍ତ ଶୁଣିଲେ ।

ବୃଦ୍ଧାକାଳେ ପୁତ୍ରଦାନ ପାଇଲା ବୋଇଲେ ।।

ହେଉ ହେଉ ବୋଲିଣ ବୋଲନ୍ତି ସର୍ବଜନେ ।

ଆନନ୍ଦ ହୋଇଲେ ଶୁଣି ନଗ୍ର ନାରୀମାନେ।।

ଦୁଇ ଚାରିଦିନ ଯାନ୍ତେ ନାହୁଡ଼ି ଶୁଖୁଲା ।

ଦିନ ଗଣି ଚାଣ୍ଡାଳୁଣୀ କାମ ତା ’ ସାରିଲା ।।

ହାଟ ଦାଣ୍ଡ ନଗ୍ର ବୁଲି କରୁଥାଇ ଡକା ।

କଅଁଳା ଛୁଆକୁ ଛାଡ଼ି ଅଇଲି ମୁଁ ଏକା ।।

ଏହା ବୋଲି ଚାଣ୍ଡାଳୁଣୀ କ୍ଷଣେ ନରହଇ ।

ପୁତ୍ରର ମୁଖରେ ଆସି ଚୁମ୍ବନ ଦିଅଇ ।।

ଏହିମତେ ଛମାସ ବରଷେ ଯେ ଗଲା ।

ପୁଣି ଗର୍ଭବାସ ଯେ ତରୁଣୀ ହୋଇଲା ।।

ଦଶମାସ ଦଶଦିନ ଗର୍ଭ ଯହୁଁ ହେଲା ।

ପେଟ ବଥାଇଣ ପୁଣି ପୁତ୍ରଜାତ କଲା ।।

ଏହି ରୂପେ ସାତପୁତ୍ର ହୋଇଲା ଜନମ ।

ଅର୍ଜୁନକୁ ବୁଝାଇ ଦହନ୍ତି ଭଗବାନ ।।

ପୁଣି ଗର୍ଭବାସ ଯେ ହେଲେ ଚାଣ୍ଡାଳୁଣୀ ।

ଦୁହିତା ଗୋଟିଏ ଜାତ ହୋଇଲାକ ପୁଣି ।।

ସାତପୁତ୍ରଙ୍କୁ ମୋହର ବିଭା କରାଇବି ।

ଏତେଭାବି ବନ୍ଧୁଘର ଖୋଜିଣ ସେ ଗଲା ।।

ସାତ ଯେ ପୁତ୍ରଙ୍କୁ ତାର ବିଭା କରାଇଲା ।।

ଦୁହିତା ଗୋଟିକୁ ବିଭା କରିଦେଲା ପୁଣ ।

ସାତପୁତ୍ର ସାତବୋହୁ ଆଣିଲାକ ଜାଣ ।।

ଅର୍ଜୁନ ଶୁଣିଣ କହନ୍ତି ଯେ ଭଗବାନ ।

ମଙ୍ଗଳାଙ୍କୁ ସେବି ସେ ପାଇଲା ପୁତ୍ରଦାନ ।।

ll ଶ୍ରୀଭଗବାନ ଉବାଚ ll

ଶ୍ରୀକୃଷ୍ଣ ବୋଲନ୍ତି ତୁମ୍ଭେ ଶୁଣ ଆହେ ପାର୍ଥ ।

ଠିକ୍ ଠିକ୍ କରି ତୋତେ କହିଦେବା ତଥ୍ୟ ।।

ଏଥୁ ଅନନ୍ତରେ କେତେଦିନ ବହିଗଲା ।

ପ୍ରଭାତୁ ଉଠିଣ ରାଜା ନବରକୁ ଗଲା ।।

ଯେଉଁଯୋଗେ ଘରୁ ମୁଁ ଯେ ବାହାର ହୋଇଲି ।

ଆଣ୍ଠୁକୁଡ଼ା ରାଜା ମୁଖ ଆଜ ମୁଁ ଦେଖିଲି ।।

ଅନ୍ନପାଣି ଆଜି ମୋତେ ମିଳିବ କି ନାହିଁ ।

ଏତେ ବୋଲି ରାଣୀ ହଂସପୁରେ ମିଳେ ଯାଇଁ ।।

ତାହାଶୁଣି ମହାରାଜା ସ୍ତବ୍‌ଧ ହୋଇଗଲେ ।

ଚାକରମାନଙ୍କୁ ଡାକି ଗୁପତେ କହିଲେ ।।

ଆଜ ତୁମ୍ଭେ ଚାଣ୍ଡାଳୁଣୀ ଘରଠିକୁ ଯାଅ ।

ରାତ୍ର ଯେ ଦିବସ ତହିଁ ଜଗି ବସିଥାଅ ।।

ଭୁଞ୍ଜିବକି ନଭୁଞ୍ଜିବ ଦେଖୁଥିବ ଜାଣି ।

ମୋହର ଆଗରେ କହିବିଟି ଆସି ପୁଣି ।।

ଏହାଶୁଣି ଚାକର ଯେ ବେଗେ ଚଳିଗଲେ ।

ଚାଣ୍ଡାଳୁଣୀ ଘରଠାରେ ଜଗିଣ ବସିଲେ ।।

ଏମନ୍ତ ସମୟେ ଚାଣ୍ଡାଳୁଣୀ ଯେ ଗଲା ।

ଅନ୍ନପାଣି କିଛି କେଉଁଠାରେ ନ ପାଇଲା ।।

ରନ୍ଧନ ଶାଳାରେ ହାଣ୍ଡି ଭାଙ୍ଗିଲାକ ଯହୁଁ ।

ଉପବାସେ ସମସ୍ତେ ଯେ ରହିଲେକ ତହୁଁ ।।

ଏହାଦେଖି ରାଜଦୂତେ ବେଗେ ଚଳିଗଲେ ।

ପାଦେପଡ଼ି କରଯୋଡ଼ି ଛାମୁରେ କହିଲେ ।।

ରାନ୍ଧଣା ଚୁଲିରେ ହାଣ୍ଡି ଭାଙ୍ଗିଲେକ ଯହୁଁ ।

ଉପବାସେ ସମସ୍ତେ ଯେ ରହିଲେକ ତହୁଁ ।।

ଚାଣ୍ଡାଳୁଣୀ ଆପଣଙ୍କୁ ବହୁ ନିନ୍ଦାକରି ।

ତା’ର ପୁଅ ଝିଅଙ୍କୁ କହିଲା ଏହିପରି ।।

ଆଣ୍ଠୁକୁଡ଼ା ରାଜା ତା ’ ମୁଖ ଯହୁଁ ମୁଁ ଦେଖଲି ।

ତେଣୁକରି ଉପବାସେ ଆଜ ମୁଁ ରହିଲି ।।

ଏହା ବୋଲି ଆପଣଙ୍କୁ ନିନ୍ଦାକଲା ସେହି ।

ଶୁଣିଥିବା କଥା ପ୍ରଭୁ କହିଲୁ ବୁଝାଇ ।।

ତାହାଶୁଣି ମହାରାଜା କମ୍ପିଣ ଉଠିଲେ ।

ତାହାର ଯେ ଗର୍ବ ମୁହିଁ ଭାଙ୍ଗିବି ବୋଇଲେ ।।

ମୋର ଆଜ୍ଞାମାନି ଏହିକ୍ଷଣି ଚଳିଯାଅ ।

ତାହାର ପୁତ୍ରମାନଙ୍କୁ ହାଣି ଯେ ପକାଅ ।।

ତାହାଶୁଣି ଦୂତମାନେ ବେଗେ ଚଳିଗଲେ ।

ତାହାର ସାତପୁତ୍ରକୁ ହାଣି ପକାଇଲେ ।।

ସେ ଦିନରେ ମଙ୍ଗଳାଙ୍କ ପୂଜାବିଧି ଜାଣି ।

ଖଇ ମୁଆଁ ଆଣିବାକୁ ଯାଇଥିଲେ ପୁଣି ।।

ଲୋକେ ଯେ ବୋଇଲେ ରାଜା ମାଇଲେ ତୋ ବଂଶ ।

ଖଇ ମୁଆଁ ନେଇଣ ତୁ କରିବୁଟି କିସ I।

ସାତପୁତ୍ର ଯାକ ତୋର ହାଣି ପକାଇଲେ ।

ତୋର ପୁତ୍ର ମୁଣ୍ଡ ମାନ ଶୂଳେ ବସାଇଲେ ।।

ତାହାଶୁଣି ଚାଣ୍ଡାଳୁଣୀ କାନ୍ଦଗୋଳ କଲା ।

ରାଜା ନବରୁ କାନ୍ଦି କାନ୍ଦି ଆସୁଥିଲା ।।

ତାହାଜାଣି ମଙ୍ଗଳା ଯେ ବିଜେ କରିଗଲେ ।

ଆସୁଥିଲା ଚାଣ୍ଡାଳୁଣୀ ବାଟରେ ଭେଟିଲେ ।।

ମଙ୍ଗଳା ବୋଲନ୍ତି ତୁଲୋ କାନ୍ଦୁ କାହିଁପାଇଁ ।

ତୋହର ମନୋବାଞ୍ଛା ଯେ ପୁରାଇବି ମୁହିଁ ।।

ତାହାଶୁଣି ଚାଣ୍ଡାଳୁଣୀ କାନ୍ଦୁଅଛି ଲୋଟି ।

ତୁମ୍ଭର ସଞ୍ଚିଲା ମୋର ସାତ ପୁତ୍ରଗୋଟି ।।

ଅଦୋଷରେ ରାଜା ମୋର ପୁଅକୁ ମାଇଲା ।

ଶୁଳିଆପଦାରେ ଆଣି ଶୁଳି ଦିଆଗଲା ।।

ମାଏ ବୋଲୁଛନ୍ତି ତୁଲୋ ବେଗହୋଇ ଯା ଯା ।

ମୁହିଁ ରକ୍ଷାକଲେ ପୁଣି କି କରିବ ରାଜା ।।

ମୋର ସେବାପୂଜା ତୁହି କରୁଥିବୁ ପୁଣି ।

ତୋର ପୁତ୍ରମାନେ ଯେ ଆସିବେ ଏହିକ୍ଷଣି ।।

ତାହାଶୁଣି ଚାଣ୍ଡାଳୁଣୀ ବେଗେ ଚଳିଗଲା ।

ଖଇ ମୁଆଁ ନବାତ ଯେ ବଜାରୁ କିଣିଲା ।।

ଗୋବର ଲିପିଣ ଏକ ବେଦୀ ବନାଇଲା ।

ଚନ୍ଦନ କର୍ପୁର ପାଣି ତହିଁରେ ସିଞ୍ଚିଲା ।।

ହଳଦୀ ଗୁଣ୍ଡରେ ଏକ ମୂର୍ତ୍ତି ବନାଇଲା ।

ଜୟ ମା ’ ମଙ୍ଗଳା ଗୋ ବୋଲିଣ ଯେ ବୋଇଲା ।।

ଫୁଲ ଯେ ଚନ୍ଦନ ଦେଇ ପୂଜାବିଧି କଲା ।

ଧୂପ ଦୀପ ନଇବେଦ୍ୟ ଗନ୍ଧପୁଷ୍ପ ଦେଲା ।।

ଦୁବ ଚାଉଳ ପକାଇ ହୁଳହୁଳି ଦେଲା ।

ସିଦ୍ଧିମୟୀ ସିଦ୍ଧକର ବୋଲି ଯେ ବୋଇଲା ।।

ମଙ୍ଗଳା ନାମରେ ଏକ ଗଣ୍ଠି ପକାଇଲା ।

ଦ୍ବିତୀୟରେ ମହାମାୟୀ ତୃତୀୟେ ଶୀତଳା ।।

ଚତୁର୍ଥେ ଦେଲା ଗଣ୍ଠି କହିଣ ହିଙ୍ଗୁଳା ।

ପଞ୍ଚମରେ ବିରଜା ଷଷ୍ଠେ ଭଗବତୀ ।।

ସପ୍ତମେ ରାଜନନ୍ଦିନୀ ସିଦ୍ଧ ଯେ ପାର୍ବତୀ ।।

ଅଷ୍ଟମରେ ଅମ୍ବିକା ନବମେ  କାଳିକା ।

ଦଶମେ ବିମଳା ଦେବୀ ମୁଣ୍ଡ ଯେ ମାଳିକା ।।

ଏକାଦଶେ ଗଣ୍ଠି ଦେବ ନମୋ ନାରାୟଣୀ ।

ଦ୍ଵାଦଶେ ଗଣ୍ଠି ଦେବ ଶିବଙ୍କ ଘରଣୀ ।।

ତ୍ରୟୋଦଶେ ଗଣ୍ଠିଦେବ ନାମେ ବରୁଣାଇ ।

ସନ୍ତୋଷ ଚିତ୍ତରେ ଗଣ୍ଠି ପକାଇଲା ତହିଁ ।।

ମଙ୍ଗଳାଙ୍କୁ ଛେନାପଣା ନଇବିଦ୍ୟ ଦେଲା ।

ଧୂପଦୀପ ଦେଇ ତହିଁ ଶଙ୍ଖ ବଜାଇଲା ।।

ସାତବୋହୁ ଘେନି ସେବା କରୁଅଛି ଯହିଁ ।

ଦେଖି ମଙ୍ଗଳାଯେ ସାନନ୍ଦ ହେଲେ ତହିଁ ।।

ଉଭା ଯେ ହୋଇଲେ ମାଏ ବିଜେ କରିଗଲେ ।

ତାର ପୁତ୍ରମାନଙ୍କୁ ଯେ ପ୍ରାଣଦାନ ଦେଲେ ।।

ସେହିବର୍ଷ ସେହିଚିହ୍ନ ତଥା ରୂପବନ୍ତ ।

କେହି ନଜାଣନ୍ତି ପ୍ରାଣେ ହୋଇଥିଲେ ହତ ।।

କାଠପତ୍ର ମାଛଶାଗ ଘେନିଣ ଅଇଲେ ।

ଆପଣାର ଘରେ ଆସି ପ୍ରବେଶ ହୋଇଲେ ।।

ତାହା ଦେଖି ଚାଣ୍ଡାଳୁଣୀ ହରଷ ହୋଇଲା ।

ଜନ୍ମ ଅନ୍ଧ ଚକ୍ଷୁଦାନ କି ଅବା ପାଇଲା ।।

ଫୁଲ ପ୍ରସାଦ ମା’ଙ୍କର ଶିରରେ ଘେନିଲେ ।

ଜୟ ମା ’ ମଙ୍ଗଳା ବୋଲି ଦଣ୍ଡବତ କଲେ ।।

ଉତ୍ତମ ପଦାର୍ଥମାନ ଭୋଗ ଦେଇଥିଲେ ।

ସାତପୁତ୍ରଯାକ ତାହା ଆନନ୍ଦେ ଭୁଞ୍ଜିଲେ ।।

ତାହାଦେଖି ଚାଣ୍ଡାଳୁଣୀ ହୋଇଲା ଆନନ୍ଦ ।

ତା’ର ପୁତ୍ର ମାନେଯେ ଖାଇଲେ ମାଂସମଦ ।।

ଦେଖିଥିବା ଲୋକମାନେ ତାଟକା ହୋଇଲେ ।

ହାଣି ଥିଲେ ରାଜଦୂତ କେମନ୍ତେ ବଞ୍ଚିଲେ ।।

ତାହାଦେଖି ରାଜାଆଗେ କହିଲେକ ଦୂତେ ।

ହାଣିଥିଲୁ ଲୋକମାନେ ବଞ୍ଚିଲେ କେମନ୍ତେ ।।

ତାହାଶୁଣି ମହାରାଜା ହୋଇଲେ ସ୍ତବ୍‌ଧ ।

ପୁଣି ଆଜ୍ଞାଦେଲେ ବୋଧେ ହୋଇ ଗଦଗଦ ।।

ଆସନ୍ତା ମଙ୍ଗଳବାରେ ତାହାକୁ ମାରିବ ।

ଆରେ ଦୂତ ଏମନ୍ତ ଯେ ଉପାୟ କରିବ ।।

ଗଜର ଦାନ୍ତରେ ଯେ ପ୍ରହାର କରାଇବ ।

ସବୁହିଁ କାଟିବ ଅସ୍ଥି ମଜ୍ଜା ନରଖିବ ।।

ଶ୍ଵାନହିଁ ଶୃଗାଳ ତାକୁ ଖାଇବେଟି ଝୁଣି।

ଥୋକାଏ ବନିଶୀ ଥୋପ କରିବଟି ପୁଣି।।

ଆଜ୍ଞାପାଇ ରାଜଦୂତେ ବେଗେ ଚଳିଗଲେ।

ଯେ ଯାହାର ଘରେ ଯାଇ ପ୍ରବେଶ ହୋଇଲେ।।

ll ଶ୍ରୀଭଗବାନ ଉବାଚ ll

ଏଥୁ ଅନ୍ତେ ଯାହାହେଲା ଶୁଣହେ ଅର୍ଜୁନ ।

ଆଠଦିନେ ପଡ଼ିଲା ମଙ୍ଗଳବାର ପୁଣି ।।

ଏଣେ ଚାଣ୍ଡାଳୁଣୀ ପୂଜାବିଧି ଆଣିଗଲା ।

ହାଟ ବଜାର ବୁଲିଣ ପଦାର୍ଥ କିଣିଲା ।।

ଦୂତମାନେ ଗୁପତରେ ଜଗିବସି ଥିଲେ ।

ଗଜର ଦାନ୍ତରେ ତାକୁ ପ୍ରହାର ସେ କଲେ ।।

ଥୋକାଏ ମାଂସ କାଟି ବନିଶୀ ଥୋପ କଲେ ।

ଥୋକାଏ ଶ୍ଵାନ ଶୃଗାଳ ମୁଖରେ ମେଲିଲେ ।।

ଲୋକେ ଯେ ବୋଇଲେ ତାର ପୁତ୍ର ନାଶ ଗଲେ ।

କିସ କିସ ଲୋଡ଼ାତୁହି କରୁଛୁ ବୋଇଲେ ।।

ତାହା ଶୁଣି ଚାଣ୍ଡାଳୁଣୀ କାନ୍ଦି ଆସୁଥିଲା ।

ଯାଉଥିଲେ ମାଏ ତାକୁ ବାଟରେ ଭେଟିଲା ।।

ମଙ୍ଗଳା ବୋଲନ୍ତି ତୁଲୋ କାନ୍ଦୁ କାହିଁପାଇଁ ।

ତୋର ପୁତ୍ରମାନଙ୍କୁ ମୁଁ ଦେବଇଁ ଜୀଆଇଁ ।।

ମୋର ସେବା ଅର୍ଥେ ତୁହି ବେଗକରି ଯାଅ ।

ଝିଅ ବୋହୁ ଘେନି ମୋର ସେବା କରୁଥାଅ ।।

ଏତେ ବୋଲି ମଙ୍ଗଳା ଯେ ବିଜେକରି ଗଲେ ।

ଅସ୍ଥି ମାଂସ ଏକଠାବ କରିଣ ରଖିଲେ ।।

ଫୁଲପାଣି ଛିଞ୍ଚି ସେ ଜୀବଦାନ ଦେଲେ ।

ଘରକୁ ଯେ ଯାଅ ବାବୁ ବୋଲିଣ ବୋଇଲେ ।।

ତାହାଶୁଣି ପୋଏ ଗଲେ ବେଗେ ବେଗେ ହୋଇ ।

ମରିଥିଲେ ବୋଲିଣ ଯେ ନ ଜାଣିଲେ କେହି ।।

ତେଣେ ଚାଣ୍ଡାଳୁଣୀ ପୂଜା ବିଧିହିଁ ସାରିଲା ।

ଫୁଲ ପ୍ରସାଦ ମା’ଙ୍କର ଶିରରେ ଘେନିଲା ।।

ଜୟମା ’ ମଙ୍ଗଳା ବୋଲିବାର ବେଳେ ।

ତା’ର ପୁତ୍ରମାନେ ଯେ ଆସିଲେ ତତ୍‌କାଳେ ।।

ଚିନି ମୁଆଁ ନବାତ ଶାକର ପୁଣି ଖଇ ।

ଆନନ୍ଦ ହୋଇଲେ ତା’ର ପୁତ୍ରମାନେ ଖାଇ ।।

ତାହାଦେଖି ଦୂତମାନେ ବେଗେ ଚଳିଗଲେ ।

ରାଜାର ଅଗ୍ରତେ ଯାଇ ବେଗେ ଜଣାଇଲେ ।।

ହଣା ହୋଇଥିବା ଲୋକ ବଞ୍ଚିଲେକ ପୁଣ ।

ଏହିକ୍ଷଣି ଆମ୍ଭେ ତାଙ୍କୁ ଅଇଲୁ ଦେଖିଣ ।।

ଆରେ ଦୂତେ ତୁମ୍ଭେମାନେ ଏମନ୍ତ କରିବ ।

ଆସନ୍ତା ମଙ୍ଗଳବାରେ ତାହାକୁ ହାଣିବ ।।

ଢିଙ୍କିରେ କୁଟିବ ମାଂସ ଶିଳରେ ବାଟିବ ।

ଏପରି କରିଣ ତାଙ୍କୁ କୂଅରେ ପୋତିବ ।।

ତାହାଶୁଣି ଦୂତମାନେ ବେଗେ ଚଳିଗଲେ ।

ଯେ ଯାହାର ଘରେ ଯାଇ ପ୍ରବେଶ ହୋଇଲେ ।।

ଏଥୁ ଅନନ୍ତରେ କିଛିଦିନ ଗଲା ବହି ।

ମଙ୍ଗଳାଙ୍କ ପୂଜା ଦିନ ହୋଇଲାକ ତହିଁ ।।

ଏଣେ ରାଜଦୂତେ ଠାବେ ଠାବେ ରହିଥିଲେ ।

ତା’ର ସାତପୁତ୍ରଙ୍କୁ ଯେ ଖଡଗେ ହାଣିଲେ ।।

ଢିଙ୍କିରେ କୁଟିଲେ ମାଂସ ଶିଳରେ ବାଟିଲେ ।

ସାତଗୋଟି ଗାତଖୋଳି ତାହାଙ୍କୁ ପୋତିଲେ ।।

ତହୁଁ ଆସି ରାଜଦୂତେ ଛାମୁରେ କହିଲେ ।

ସାତକୂପେ ସାତପୁତ୍ରେ ପୋତିଲୁ ବୋଇଲେ ।।

ତାହାଶୁଣି ମହାରାଜା ଆନନ୍ଦ ହୋଇଲେ ।

କେମନ୍ତ ପ୍ରକାରେ ସେହୁ ବଞ୍ଚିବେ ବୋଇଲେ ।।

ପୁତ୍ର ମଲେ ବୋଲି ଚାଣ୍ଡାଳୁଣୀ ନ ଜାଣଇ ।

ଖଇ ମୁଆଁ ନବାତ ଯେ ବଜାରୁ କିଣଇ ।।

ଏମନ୍ତ ବେଳାରେ ଲୋକେ କହିଲେକ ଥୋକେ ।

ତୋର ସାତପୁତ୍ର ରାଜା ପୋତିଲେକ କୂପେ ।।

ତାହାଶୁଣି ଚାଣ୍ଡାଳୁଣୀ କାନ୍ଦି ଆସୁଥିଲା ।

ଆସୁଥିଲେ ମାଏ ତାଙ୍କୁ ବାଟରେ ଭେଟିଲା ।।

ମାଏ ବୋଲୁଛନ୍ତି ତୁଲୋ କାନ୍ଦୁ କାହିଁପାଇଁ ।

ଯା ଯା ତୋର ମନୋବାଞ୍ଛା ପୁରାଇବି ମୁହିଁ ।।

ତାହାଶୁଣି ଚାଣ୍ଡାଳୁଣୀ ବେଗେ ଚଳିଗଲା ।

ଝିଅ ବୋହୁ ସଙ୍ଗେ ଘେନି ସେବାରେ ବସିଲା ।।

ଏମନ୍ତ ସମୟେ ଯେ ମଙ୍ଗଳା ଚଳିଗଲେ ।

ତା’ର ପୁତ୍ରମାନଙ୍କୁ ଯେ କୂପରୁ ଡାକିଲେ ।।

କାହିଁପାଇଁ ତୁମ୍ଭେମାନେ ପଶିଛ କୂପରେ ।

ତୁମ୍ଭମାତା ପୁତ୍ର ବୋଲି କାନ୍ଦୁ ଅଛି ଘରେ ।।

ଡାକଶୁଣି ସମସ୍ତେ ଅଇଲେ ଯେଝାମତେ ।

କେହି ନ ଜାଣନ୍ତି ପ୍ରାଣେ ହୋଇଥିଲୁ ହତେ ।।

ମାଛ ଶାଗ କାଠ ପତ୍ର ଘେନିଣ ଚଳିଲେ ।

ଆପଣାର ଘରେ ଯାଇ ପ୍ରବେଶ ହୋଇଲେ ।।

ତାହାଦେଖି ଚାଣ୍ଡାଳୁଣୀ ଆନନ୍ଦ ହୋଇଲା ।

ବେଗ ବେଗ କରି ପୂଜାବିଧି ହିଁ  ସାରିଲା ।।

ତା’ର ପୁତ୍ରମାନଙ୍କୁ ଯେ ପ୍ରସାଦହିଁ ଦେଲା ।

ଆନନ୍ଦ ହୋଇଣ ସର୍ବେ ଭୁଞ୍ଜିଣ ବସିଲେ ।

ଦେଖୁଥିଲେ ଦୂତମାନେ ରାଜାଙ୍କୁ କହିଲେ ।।

କୂପରେ ପୋତିବା ଲୋକ କେମନ୍ତେ ବଞ୍ଚିଲେ ।

ତାହାଶୁଣି ମହାରାଜା ବହୁ କୋପକଲା ।

ଆସନ୍ତା ମଙ୍ଗଳବାରେ ହାଣିବ ବୋଇଲା ।।

ତୁଳାର ପ୍ରାୟେକ କରି ତାହାକୁ କାଟିବ ।

ତୁଳାପରି କରି ମାଂସ ଧୂଳିରେ ଫିଙ୍ଗିବ ।।

ଆଜ୍ଞାପାଇ ଦୂତମାନେ ବେଗେ ଚଳିଗଲେ ।

ଯେ ଯାହାର ଗୃହେଯାଇ ପ୍ରବେଶ ହୋଇଲେ ।।

ଏଥୁ ଅନନ୍ତରେ ସପ୍ତାହେକ ଗତହେଲା ।

ମଙ୍ଗଳାଙ୍କ ପୂଜାଦିନ ପ୍ରବେଶ ହୋଇଲା ।।

ସେ ଦିନରେ ଚାଣ୍ଡାଳୁଣୀ ପ୍ରଭାତୁ ଉଠିଲା ।

ଏକବର୍ଣ୍ଣ  ଗାଈର ଗୋବର ଆଣିଲା ।।

ଶଉଚ କରିଣ ଘର ବାହାର ଲିପିଲା ।

ଖଇମୁଆଁ କିଣିବାକୁ ବଜାରକୁ ଗଲା ।।

ଏଣେ ରାଜଦୂତେ ତା’ର ପୁତ୍ରଙ୍କୁ ହାଣିଲେ ।

ତୁଳାପ୍ରାୟ କରି ମାଂସ ଧୂଳିଲେ ଫିଙ୍ଗିଲେ ।।

ପୁତ୍ରମାନେ ବୋଲି ଚାଣ୍ଡାଳୁଣୀ ନ ଜାଣଇ ।

ପୂଜାର ଦରବମାନ ବଜାରୁ କିଣଇ ।।

ଲୋକେଯେ ବୋଲନ୍ତି ତୁଲୋ ଶୁଣ ଚାଣ୍ଡାଳୁଣୀ କାନ୍ଦିଆସୁଥିଲା ।

ଆସୁଥିଲେ ମାଏ ତାଙ୍କୁବାଟରେ ଭେଟିଲା ।।

ମଙ୍ଗଳା ବୋଇଲେ ତୁଲୋ କାନ୍ଦୁ କାହିଁପାଇଁ ।

ମୋହର ସେବାରେ ତୁହି ବସିଥାଅ ଯାଇ ।।

ତାହାଶୁଣି ଚାଣ୍ଡାଳୁଣୀ ବେଗେ ଚଳିଗଲା ।

ଝିଅ ବୋହୁ ସଙ୍ଗେଘେନି ପୂଜାରେ ବସିଲା ।।

ଧୂପଦୀପ ନୈବେଦ୍ୟ ଗନ୍ଧପୁଷ୍ପ ଦେଇ ।

ଉତ୍ତମ ପଦାର୍ଥ ଦେଇ ବିନୟେ କହଇ ।।

ଚାଣ୍ଡାଳୁଣୀ ହୀନଜାତି ଜାତି ମୋର କେଳା ।

କି ଭକତି ମୋର ଘେନ ମା ’ ମଙ୍ଗଳା ।।

ଭକ୍ତିପଣ ଦେଖିଣ ମଙ୍ଗଳା ବିଜେକଲେ ।

ତା’ର ପୁତ୍ରମାନଙ୍କୁ ଜୀବଦାନ ଦେଲେ ।।

ସେହିରୂପ ସେହି ଚିହ୍ନ ସେହି ରୂପରେଖ ।

କହି ନ ଜାଣନ୍ତି ପ୍ରାଣେ ହୋଇଛନ୍ତି ହତ ।।

ମାଛ ଶାଗ କାଠପତ୍ର ଘେନିଣ ଅଇଲେ ।

ଆପଣାର ଘରେଯାଇ ପ୍ରବେଶ ହୋଇଲେ ।।

ତାହାଦେଖି ଚାଣ୍ଡାଳୁଣୀ ଆନନ୍ଦ ହୋଇଲା ।

ଫୁଲ ପ୍ରସାଦ ତା’ର ପୁତ୍ରମୁଣ୍ଡେ ଦେଲା ।।

ମାଂସ ମଦ ଭୁଞ୍ଜିଣ ସେ ଆନନ୍ଦ ହୋଇଲେ ।

ଦେଖିଯାଇ ରାଜଦୂତେ ରାଜାକୁ କହିଲେ ।।

ତାହାଶୁଣି ମହାରାଜା ସ୍ତବ୍‌ଧଯେ ହୋଇଲେ ।

କୌଣସି ପ୍ରକାରେ ତାଙ୍କୁ ବଧି ନପାରିଲେ ।।

ବୁଦ୍ଧି ନ ସ୍ଫୁରଇ ଅହର୍ନିଶି ଚିନ୍ତାକଲେ ।

ଆରେ ଦୂତମାନେ ତୁମେ ଏମନ୍ତ ଯେ କର ।

ଯତନ କରିଣ ଯେ ନିର୍ମାଣ ଜଉଘର ।।

ଆସନ୍ତା ମଙ୍ଗଳବାରେ ତାହାଙ୍କୁ ହାଣିବ ।

ଯତନ କରିଣ ଜଉଘରରେ ଭରିବ ।।

ଜଉ କବାଟ କିଳିଣ ବନ୍ଦ ଯେ କରିବ ।

ନିର୍ବନ୍ଦ କରିଣ ତହିଁ ଅଗ୍ନି ଲଗାଇବ ।।

ଆଜ୍ଞାପାଇ ଦୂତମାନେ ବେଗେ ଚଳିଗଲେ ।

ଯତନ କରିଣ ଜଉଘର ବନାଇଲେ ।।

ଏଥୁ ଅନନ୍ତରେ କେତେଦିନ ଗଲା ତହିଁ ।

ମଙ୍ଗଳାଙ୍କ ପୂଜାଦିନ ହୋଇଲାକ ତହିଁ ।।

ସେ ଦିନରେ ଚାଣ୍ଡାଳୁଣୀ ପ୍ରଭାତୁ ଉଠିଲା ।

ପୂର୍ବ ପରକାରେ ଘର ବାହାର ଲିପିଲା ।।

ଏଣେ ଦୂତମାନେ ତା’ର ସାତପୁତ୍ର ହାଣି ।

ଜଉଘରେ ଭରି ଅଗ୍ନି ଲଗାଇଲେ ପୁଣି ।।

ପୁତ୍ରମଲେ ବୋଲି ଚାଣ୍ଡାଳୁଣୀ ନଜାଣଇ ।

ପୂଜାବିଧିମାନ ସେ ଯେ ଖୋଜିଣ ଆଣଇ ।।

ଲୋକେ ଯେ ବୋଇଲେ ତୁଲୋ  ଶୁଣ ଚାଣ୍ଡାଳୁଣୀ ।

ତୋର ପୁତ୍ରମାନଙ୍କୁ ରାଜା ମାଇଲେକ ପୁଣି ।।

ଜଉଘରେ ପୁରାଇଣ ଅଗ୍ନି ଲଗାଇଲେ ।

କିସ କିସ ଲୋଡ଼ା ତୁହି କରୁଅଛୁ ଭଲେ ।।

ତାହା ଶୁଣି ଚାଣ୍ଡାଳୁଣୀ ବିକଳ ହୋଇଲା ।

ଅଗାଧ ସମୁଦ୍ରେ ମୋର ଭେଳା ଯେ ବୁଡ଼ିଲା ।।

ଆରେ ଆରେ ପୁତ୍ର ମୋର କେଣେ ଛାଡ଼ି ଗଲ ।

ଅପୁତ୍ରିକ ଦଶା ବାବୁ ମୋତେ ଯେ ବିହିଲ ।।

ଚାଣ୍ଡାଳୁଣୀ ଏହିପରି କାନ୍ଦି ଆସୁଥିଲା ।

ଆସୁଥିଲେ ମାଏ ତାକୁ ବାଟରେ ଭେଟିଲା ।।

ମଙ୍ଗଳା ବୋଲନ୍ତି ତୁଲୋ କାନ୍ଦୁ କାହିଁପାଇଁ ।

ଯା ’ ଯା ’ ତୋର ପୁତ୍ରଙ୍କୁ ମୁଁ ଦେବଇଁ ଜୀଆଇ ।।

ତାହାଶୁଣି ଚାଣ୍ଡାଳୁଣୀ ବେଗେ ଚଳିଗଲା ।

ଆପଣାର ଘରେ ଯାଇ ପ୍ରବେଶ ହୋଇଲା ।।

ପୂର୍ବ ପରକାରେ ପୂଜାବିଧି ଯେ ଭିଆଇ ।

ଗଙ୍ଗାଜଳ ଛିଞ୍ଚି ତହିଁ ବସିଲେକ ଯାଇ ।।

ଧୂପଦୀପ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଲା ।

ଅପୂର୍ବ ପଦାର୍ଥମାନ ସବୁ ସମର୍ପିଲା ।।

ଛେଳି ଯେ କୁକୁଡ଼ା ତହିଁ ବଳିଦାନ ଦେଇ ।

ଶଙ୍ଖ ହୁଳହୁଳି ଦେଇ ବିନୟେ ବୋଲଇ ।।

ଏମନ୍ତ ସମୟେ ତା’ର ସାତ ପୁତ୍ରଗୋଟି ।

ପୂର୍ବରୁ ଅଧିକ କରି ରୂପରେଖ ଦିଶି ।।

କେତେବଡ଼ ଅଗ୍ନିରେ ନୋହିଲେ ପ୍ରାଣନାଶ ।

ଦେଖିଣ ମଙ୍ଗଳା ହୋଇଲେ ହସ ହସ ।।

ଦିହୁଡ଼ି ପରାୟେ ଅଗ୍ନି ଜଳୁଅଛି ଯହୁଁ ।

ଲୋକଲୋଚନକୁ ଭୟ ଦିଶୁଅଛି ତହୁଁ ।।

ଯଉଘର ପାଶେ ଯାଇ ମଙ୍ଗଳା ଡାକିଲେ ।

ଘରକୁ ଯେ ଯାଅ ବାବୁ ବୋଲିଣ ବୋଇଲେ ।।

ଶୁଣି ପୁତ୍ର ଆସନ୍ତି ଯେ ତରତର ହୋଇ ।

ଜଉଘର ଅଗ୍ନି ତାଙ୍କୁ ଶୀତଳ ଲାଗଇ ।।

ମାଛ ଶାଗ କାଠପତ୍ର ଘେନିଣ ଅଇଲେ ।

ଆପଣାର ଘରେ ଯାଇ ପ୍ରବେଶ ହୋଇଲେ ।।

ତାହାଦେଖି ଚାଣ୍ଡାଳୁଣୀ ଆନନ୍ଦ ହୋଇଲା ।

ବେଗ ବେଗ କରି ପୂଜାବିଧି ଯେ ସାରିଲା ।।

ପୂଜାସାରି ଚାଣ୍ଡାଳୁଣୀ ଦଣ୍ଡବତ କଲା ।

ଫୁଲ ପରସାଦ ନେଇ ପୁତ୍ର ତୁଣ୍ଡେ ଦେଲା ।।

ଖଇମୁଆଁ ନବାତ ଶାକର ଚିନି ଖଇ ।

ଆନନ୍ଦ ହୋଇଣ ତାରି ପୁତ୍ରମାନେ ଖାଇ ।।

ଛେଳି ଯେ କୁକୁଡ଼ା ବଳିଦାନ ଦେଇଥିଲେ ।

ମାଂସ ମଦଖାଇଣ ଯେ ଆନନ୍ଦ ହୋଇଲେ ।।

ତାହାଦେଖି ରାଜଦୂତେ ବେଗେ ଚଳିଗଲେ ।

ରାଜାର ଅଗ୍ରତେ ଯାଇ ବାରତା କହିଲେ ।।

ପାଦେପଡ଼ି କରଯୋଡ଼ି ଜଣାଇଲେ ଦୂତେ ।

ଜଉଘରେ ମଲାଲୋକ ଆସିଲେ ତୁରିତେ ।।

ତାହାଶୁଣି ମହାରାଜା ବିସ୍ମୟ ହୋଇଲେ ।

ଆପଣା ଆପଣା ମନେ ମନେ ଚିନ୍ତାକଲେ ।।

ବାଇକି ବାତୁଳ ମୋର ବୁଦ୍ଧି ହେଲାହୀନ ।

ପାପପୁଣ୍ୟ ବିଚାରନ କଲା ମୋର ମନ ।।

ବୁଦ୍ଧିମନ୍ତ ଥିଲେ ମୁଁ କି ଏମନ୍ତ କରନ୍ତି ।

ଏହିରୂପେ ଧରିମୁହିଁ ବାଳକ ନବଞ୍ଚି।।

ପୁଣ୍ୟକଲା ଲୋକମାନେ ସ୍ବର୍ଗରେ ବସନ୍ତି ।

ପାପକଲା ଲୋକମାନେ ନରକେ ପଡ଼ନ୍ତି ।।

ଏତେଭାବି ମହାରାଜା ଆପଣେ ଉଠିଲା ।

ଚାକରମାନଙ୍କୁ ଡାକି ବଚନ ବୋଇଲା ।।

ଚାଲ ଚାଣ୍ଡାଳୁଣୀ ଘର ଯିବା ବେଗହୋଇ ।

ତାହାର ସଙ୍ଗରେ ମିତ୍ର ହୋଇବଇଁ ମୁହିଁ ।।

କେବଣ ଦେବତା ପୂଜା କରୁଅଛି ସେହି ।

ତାହାପାଦେ ଆମ୍ଭେ ପୂଜା କରିବା ହୋ ଯାଇ ।।

ଏତେ ବୋଲି ମହାରାଜା ବିଜେ କରିଗଲେ ।

ଚାଣ୍ଡାଳୁଣୀ ଦ୍ଵାରେ ଯାଇ ପ୍ରବେଶ ହୋଇଲେ ।।

ତାହାଦେଖି ଚାଣ୍ଡାଳୁଣୀ ପାଦରେ ପଡ଼ିଲା ।

ଉଠି କରପତ୍ର ଯୋଡ଼ିଣ କହିଲା ।।

କି ନିମନ୍ତେ ମହାରାଜା ବିଜୟେ ହୋଇଲା ।

ଆଚମ୍ବିତ ହୋଇ ମୋତେ ତାଟକା ଲାଗିଲା ।।

ରାଜା ବୋଲୁଛନ୍ତି ତୁଲୋ ଶୁଣ ଚାଣ୍ଡାଳୁଣୀ ।

ତୋହର ସଙ୍ଗରେ ମିତ୍ର ହୋଇବଇଁ ପୁଣି ।।

ବହୁତ ପ୍ରକାରେ ଶାସ୍ତିଦେଲି ଯେ ତୁମ୍ଭଙ୍କୁ ।

ଆସିଅଛୁ ଦୋଷାଦୋଷ କ୍ଷମା ମାଗିବାକୁ ।।

କେଉଁ ଦେବତାର ପୂଜାକରୁଅଛ ତୁମ୍ଭେ ।

ଆମ୍ଭ ରାଣୀ ପୂଜା ଯେ କରିବ ତୁମ୍ଭସଙ୍ଗେ ।।

ରାଜ୍ୟ ନରନାରୀମାନେ ସମସ୍ତେ ଆସିବେ ।

ତୁମ୍ଭର ଦୁଆରେ ଆସି ପୂଜା ଯେ କରିବେ ।।

ଚାଣ୍ଡାଳୁଣୀ ବୋଲୁଅଛି ଆହେ ମହାରାଜା ।

ଛେଳି ଯେ କୁକୁଡ଼ା ଆମ୍ଭ ମଙ୍ଗଳାଙ୍କ ପୂଜା ।।

ହୀନଜାତି ସଙ୍ଗେ ତୁମ୍ଭେ ମଇତ୍ର ହୋଇବ ।

ଛେଳି ଯେ କୁକୁଡ଼ା ମଦ ମାଂସ ହିଁ ଖାଇବ ।।

ତେବେ ତୁମ୍ଭସଙ୍ଗେ ମିତ୍ର ହୋଇବଇଁ ମୁହିଁ ।

ନୋହିଲେ ମୋ ପ୍ରୟୋଜନ ଏଥେ କିଛିନାହିଁ ।।

ତାହାଶୁଣି ମହାରାଜା ସନମତ କଲା ।

ଚାଣ୍ଡାଳୁଣୀ ସଙ୍ଗତରେ ମଇତ୍ର ହୋଇଲା ।।

ll ଶ୍ରୀଭଗବାନ ଉବାଚ ll

ଶ୍ରୀକୃଷ୍ଣ ବୋଲନ୍ତି ତୁମ୍ଭେ ଶୁଣହେ ଅର୍ଜୁନ ।

ଚାଣ୍ଡାଳୁଣୀ ସଙ୍ଗେ ମିତ୍ର ହେଲେକ ରାଜନ ।।

ଏଥୁ ଅନନ୍ତରେ କିଛିଦିନ ଗତହେଲା ।

ମଙ୍ଗଳାଙ୍କ ପୂଜାଦିନ ପ୍ରବେଶ ହୋଇଲା ।।

ସେ ଦିନକେ ଚାଣ୍ଡାଳୁଣୀ ପ୍ରଭାତୁ ଉଠିଲା ।

ଏକବର୍ଣ୍ଣ ଗାଈର ସେ ଗୋବର ଆଣିଲା ।।

ଉତ୍ତମ କରିଣ ଘର ଦୁଆର ଲିପିଲା ।

ଖଇ ମୁଆଁ ଆଣିବାକୁ ବଜାରକୁ ଗଲା ।।

ସେ ଦିନରେ ମହାରାଜା ପ୍ରଭାତୁ ଉଠିଲେ ।

ଡେଙ୍ଗୁରାପିଟାଇଣ ଡାକ ଯେ ଦିଆଇଲେ ।।

ଆଜି ନଗ୍ର ନାରୀମାନେ ସମସ୍ତେ ଯେ ଯିବ ।

ଚାଣ୍ଡାଳୁଣୀ ଦ୍ବାରେଯାଇ ମଙ୍ଗଳା ସେବିବ ।।

ଏହାବୋଲି ଦୂତମାନେ ଡାକ ଯେ ଦିଅନ୍ତି ।

ନ ଜାଣିଲା ଲୋକଙ୍କୁ ବୁଝାଇ କହନ୍ତି ।।

ତାହାଶୁଣି ନଗ୍ରନାରୀ ଗଲେକ ସମସ୍ତ ।

ଚାଣ୍ଡାଳୁଣୀ ଦ୍ବାରେ ଯାଇ ହେଲେ ଉପସ୍ଥିତ ।।

ପାଦେ ଗତିକରି ରାଣୀ ବିଜେ କରିଗଲେ  ।

ଚାଣ୍ଡାଳୁଣୀର ଦ୍ୱାରେ ଯାଇ ପ୍ରବେଶ ହୋଇଲେ ।।

ସେହି ଚାଣ୍ଡାଳୁଣୀ ବଜାରକୁ ଯାଇଥିଲା ।

ଆପଣା ଗୃହରେ ଆସି ପ୍ରବେଶ ହୋଇଲା ।।

ବେଦୀର ଉପରେ ଏକ ଘଟ ଯେ ବସାଇ ।

ଗଙ୍ଗାଜଳ ଛିଞ୍ଚି ପାଶେ ବସିଲେକ ଯାଇ ।।

ଧୂପଦୀପ ନୈବେଦ୍ୟ ଗନ୍ଧ ପୁଷ୍ପ ଦେଇ ।

ଜୟ ମା ’ ମଙ୍ଗଳା ବୋଲି ବିନୟେ କହଇ ।।

ରାଜ୍ୟ ନରନାରୀ କରପତ୍ର ଯେ ଯୋଡ଼ିଲେ ।

ଜୟ ମା ’ ମଙ୍ଗଳା ବୋଲି ଉଚ୍ଚେ ଡାକଦେଲେ ।।

ଶଙ୍ଖ ହୁଳହୁଳି ଦିଅନ୍ତି ଚାଣ୍ଡାଳୁଣୀ ଗୃହେ ।

ମୁଖର ଶବଦ ଯେ ଶୁଭଇ ଗହଗହ ।।

ଏମନ୍ତ ପ୍ରକାରେ ପୂଜା ବିଧିହିଁ ସାରିଲେ ।

ଫୁଲ ପ୍ରସାଦ ମା’ଙ୍କର ଶିରରେ ଘେନିଲେ ।।

ରାଜାରାଣୀ ନଗ୍ରଲୋକେ ପୂଜା ଯେ ସାରିଲେ ।

ଜୟ ମା ’ ମଙ୍ଗଳା ବୋଲି ଦଣ୍ଡବତକଲେ ।।

ଫୁଲପ୍ରସାଦ ମା’ଙ୍କର ଶିରରେ ଘେନିଲେ ।

ମଙ୍ଗଳା ସୁମରି କେନ୍ଦୁଚାର ହିଁ ଖାଇଲେ ।।

ଏଥୁ ଅନନ୍ତରେ ତୁମ୍ଭେ ଶୁଣ ହେ ଅର୍ଜୁନ ।

ମଦମାଂସ ଭୁଞ୍ଜିବାକୁ ବସିଲେ ରାଜନ ।।

ତାହା ଦେଖି ମଙ୍ଗଳା ଯେ ଆନନ୍ଦ ହୋଇଲେ ।

ରାଜାର ଭକତି ଦେଖି ପ୍ରସନ୍ନ ହୋଇଲେ ।।

ମଦମାଂସ ଭୂଞ୍ଜି ରାଜା ବସିଲେକ ଯହୁଁ ।

ଦେଖୁ ଦେଖୁ ମଦ ଦୁଧ ପାଲଟିଲା ତହୁଁ ।।

ଅମୃତ ହୋଇଲା ମାଂସ ମଦ ହେଲା ଦୁଧ ।

ଦେଖି ଯେ ମହାରାଜା ହୋଇଲେ ସ୍ତବ୍‌ଧ ।।

ଧନ୍ୟ ଧନ୍ୟ ମଙ୍ଗଳା ଗୋ ବୋଲିଣ ବୋଇଲେ ।

ମଙ୍ଗଳା ସୁମରି ସେହୁ ଭୁଞ୍ଜିଣ ବସିଲେ ।।

ଆଚମନସାରି ରାଜା ବିଜେ କରିଗଲେ ।

ଆପଣା ନବରେ ଯାଇ ପ୍ରବେଶ ହୋଇଲେ ।।

ରାଜ୍ୟ ନରନାରୀ ମାନେ ସମସ୍ତେ ଯେ ଗଲେ ।

ଆପଣା ଆପଣା ଘରେ ପ୍ରବେଶ ହୋଇଲେ ।।

ଏଥୁ ଅନନ୍ତରେ ତୁମ୍ଭେ ଶୁଣହେ ଅର୍ଜୁନ ।

ସେହିଦିନ ଗର୍ଭବାସ ହେଲେ ନାରୀମାନେ ।।

ଦଶମାସ ଦଶଦିନ ହୋଇଲେକ ପୁଣି ।

ପେଟତ ବଥା କରୁଅଛି କିଣିକିଣି ।।

ଏହିରୂପେ ପୁତ୍ର ଯେ ଦୁହିତା କଲେ ଜାତ ।

ମଙ୍ଗଳା ସୁମରି ମନେ ହୁଅନ୍ତି ଉସତ ।।

ରାଣୀ ମହାଦେଈ ଯେ ଆନନ୍ଦ ହେଲେ ତହୁଁ ।

ରାଜ୍ୟ ନରନାରୀଙ୍କ ଆନନ୍ଦ କିଏ କହୁ ।।

ll ଶ୍ରୀଭଗବାନ ଉବାଚ ll

ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣହେ ଅର୍ଜୁନ ।

ଏହିରୂପେ ତାହାଙ୍କୁ ସେ ଦେଲେ ପୁତ୍ରଦାନ ।।

ଏହିରୂପେ ମଙ୍ଗଳାଙ୍କ ପୂଜା  ଯେ କରିବ ।

ଦିନୁଦିନ ବଂଶ ତା’ର ବର୍ଦ୍ଧିତ ହୋଇବ ।।

ଧନଜନ ପୁତ୍ର ବିତ୍ତ ଆବର ଦୁର୍ଗତି ।

ମଙ୍ଗଳା ସେବାରେ ଆଉ ନଥାଏ ବିପତ୍ତି ।।

ଅର୍ଜୁନକୁ ବୁଝାଇ କହନ୍ତି ପୀତବାସ ।

ଭାବରେ ଭଣିଲେ ଏହା ବଳରାମ ଦାସ ।।

ଇତି ଶ୍ରୀ ଚୈତ୍ର ମଙ୍ଗଳା ଓଷାକଥା ସମ୍ପୂର୍ଣ୍ଣ ।।

Related Post