କନକ ଉପତ୍ୟକାର କାହାଣୀ

କନକ ଉପତ୍ୟକାର କାହାଣୀ

କନକ ଉପତ୍ୟକାରେ ଭୂମିକମ୍ପ ହେଲା । ରାଜକୋପରୁ ରକ୍ଷା ପାଇବା ନିମନ୍ତେ ନିର୍ଦୋଷ ରାଜୁ ପର୍ବତର ମଧ୍ୟ ଦେଶରେ ଥିବା ପୂର୍ବ ରାଜବଂଶର ପରିତ୍ୟକ୍ତ ଦୁର୍ଗର ଭଗ୍ନାବଶେଷ ଭିତରେ ପହଁଚି କିମ୍ବଦନ୍ତିର ସୁବର୍ଣ୍ଣ ପ୍ରତିମା ଆବିଷ୍କାର କଲା ।

ଏକ ରହସ୍ୟମୟ କଣ୍ଠସ୍ୱର ତାକୁ କହିଦେଲା କି ପ୍ରପାତ ଟପି ଗଲେ ସେ ଏକ ନୂଆ ରାଜ୍ୟରେ ପହଁଚିବ । ସେଠାରେ ତମେ ଜଣେ ଦେବୀଙ୍କୁ ଭେଟିବ । ତାଙ୍କ ଆଶୀର୍ବାଦରେ ସେ ମୂର୍ତ୍ତିରେ ଜୀବନ୍ୟାସ ହୋଇ ପାରିବ । ତେବେ ଯିବା ପୂର୍ବରୁ ମୂର୍ତ୍ତିର ସୁରକ୍ଷା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ । ତାପରେ

 ରାଜୁ ଆଚମ୍ବିତ ଓ ଆମୋଦିତ ଅବସ୍ଥାରେ କିଛି ସମୟ ବିତାଇ ତାପରେ ଅଦୂରର ଜଳପ୍ରପାତ ଆଡେ ଦୃଷ୍ଟି ଦେଲା । ଜନଶୃତି କହେ, ଥରେ ଯିଏ ସେ ପ୍ରପାତ ଅତିକ୍ରମ କରି ସେପାରିକୁ ଯାଏ,

 ସିଏ ଆଉ କଦାପି ମଧ୍ୟ ସେଠାରୁ ଲେଉଟି ଆସି ପାରେନାହିଁ । ତାର କିନ୍ତୁ ସେପାରିକୁ ଯିବା ଦିଗରେ ତିଳେ ବି ଦ୍ୱିଧା ନଥିଲା । ତାକୁ ସେ ଦିଗରେ ନିର୍ଦ୍ଧେଶ ଦେଇଥିବା ରହସ୍ୟମୟ କଣ୍ଠସ୍ୱର ଉପରେ ତାମନରେ ଗଭୀର ପ୍ରତ୍ୟୟ ସଂଚାରିତ ହୋଇଥିଲା ।

କିନ୍ତୁ ପ୍ରତିମା ଯେପରି ସୁରକ୍ଷିତ ରହିବ, ପ୍ରଥମେ ତାକୁ ସେହି ଦିଗରେ ଯଥାର୍ଥ ବ୍ୟବସ୍ଥା କରିବାକୁ ହେବ । ସେ ଦିଗରେ ରାଜାଙ୍କ ସହାୟତା ବିନା କଣ ବା କରାଯାଇ ପାରେ? ରାଜାଙ୍କୁ ସେ ନ ଜଣାଇଲେ ଆଉ କେହି ନିଶ୍ଚୟ ଜଣାଇବ ଏବଂ ରାଜା କଣ କରିବେ ତାହା କହିବା ମୋଟେ ସମ୍ଭବ ନୁହେଁ ।

ରାଜୁ ସେ ପ୍ରଭାତରେ ପର୍ବତରୁ ଅବତରଣ କଲାବେଳେ ନିଜକୁ ଖୁବ୍ ଫୁଲଭଳି ଉଶ୍ୱାସ ଅନୁଭବ କରିଥିଲା । ନମ୍ର ସୂର୍ଯ୍ୟରଶ୍ମିରେ ପ୍ରାସାଦର ତୋରଣଦେଶ ଝଟକିବାକୁ ଆରମ୍ଭ କରିଥିଲା ।

 ସେଠାରେ ଥିବା ଦ୍ୱାରରକ୍ଷୀମାନେ ତୁରୀ ବଜାଇ ସାରିବା ବେଳକୁ ରାଜୁ ତାଙ୍କ ପାଖକୁ ଯାଇ ସେମାନଙ୍କୁ କହିଲା, “ମୁଁ ରାଜାଙ୍କୁ ଭେଟିବାକୁ ଚାହେଁ ।

ମୁଖ୍ୟ ଦ୍ୱାରରକ୍ଷୀ କହିଲା ସତେ? ତମେ ବାବୁ କେଉଁ ସମ୍ରାଟ ଯେ ରାଜା ଏଇନେ ତମକୁ ସଙ୍ଖୋଳିବେ? ଆମେ ତୁରୀ ବଜାଇ ଆମ କର୍ତ୍ତବ୍ୟ ସମାପନ କରିଛୁ । ବର୍ତ୍ତମାନ ମଣିମାଙ୍କ ପହଡ ଭଙ୍ଗାଇବା ଦିଗରେ ସୂର୍ଯ୍ୟ ତାକର୍ତ୍ତବ୍ୟ କରିବ । ଅର୍ଥାତ୍ ରାଜାଙ୍କ ବାତାୟନ ଯାଏଁ ଉଠି ତାଙ୍କୁ ଜଗାଇବ ।

ରାଜୁ କହିଲା କିନ୍ତୁ ସୂର୍ଯ୍ୟ ରାଜାଙ୍କ ଦ୍ୱିତଳ ବାତାୟନ ପର୍ଯ୍ୟନ୍ତ ଉଠିବା ବେଳକୁ ତ ବେଳ ପହରେ ହୋଇଯାଇଥିବ!

ମୁଖ୍ୟ ଦ୍ୱାରରକ୍ଷୀ ପାଣ୍ଡିତ୍ୟପୂର୍ଣ୍ଣ ଭଙ୍ଗୀରେ ବୁଝାଇ ଦେଲେ ମୂର୍ଖ ଯୁବକ! ବେଳ ପହରେ ତମ ପାଇଁ, ଆମ ପାଇଁ । ହେଲେ ରାଜାଙ୍କ ପାଇଁ ତାହା ପ୍ରଭାତ ।ରାଜୁ ହଠାତ୍ ଭିତରକୁ ପଶିଗଲା । କେଜାଣି କାହିଁକି ଦ୍ୱାରରକ୍ଷୀମାନେ ତାମୁହଁକୁ ଚାହିଁ ହତବମ୍ୱ ହୋଇ ରହିଗଲେ । ଅନ୍ୟ କେହି ବି ତାକୁ ଅଟକାଇବାକୁ ସାହସ କଲେ ନାହିଁ । କାରଣ ସେତିକିବେଳେ ଉଦୟ ସୂର୍ଯ୍ୟର ପ୍ରଥମ ରଶ୍ମି ତାମୁହଁରେ ଆସି ପଡିଥିଲା ଓ ସେ ଅପୂର୍ବ ଦିଶୁଥିଲା । ଯେଉଁ ବାତାୟନ ପାଖରେ ସୂର୍ଯ୍ୟ ତାଙ୍କ କର୍ତ୍ତବ୍ୟ କରିବା କଥା, ସେ ଯାଇ ସେଠି ପହଁଚିଗଲା ।