Chaitra Mangala Bara Brata Katha

Chaitra Mangala Bara Brata Katha

It is a series of Vrat observed on Tuesdays during Chaitra Month in Odisha On the day of Festival, people worships Mangala Devi. According to the Devi Purana, the Goddess is adorned with a jatamukuta and sits on a throne

ଚୈତ୍ର ମଙ୍ଗଳବାର ବ୍ରତକଥାChaitra Mangala Bara Brata Katha

ଜୟ ମା ମଙ୍ଗଳା

ଓଁ  ରକ୍ତଜବାଦଳଂ ବର୍ଣ୍ଣାଂ କିରୀଟକେୟୁରଂ ଜ୍ବାଳାଂ

ଶଶଧରମୁକୁଟଂ ମୌଳିଂ ନୟନଂ ତ୍ରିତୟନ୍ବିତାମ୍ ।।

ଚତୁର୍ଭୁଜାଂ ଇନ୍ଦୁ-କମଳଂ ଧରାଂ ବରଦା ଶାନ୍ତିଦାୟିନୀ

ପଦ୍ମାସନେ ସ୍ଥିତାମ୍ ଦେବୀ ଶୁଭଦେ ତପଶ୍ଚାରିଣୀଂ।।

ଯଗ୍ୟୋଂପବୀତ ଧାରିଣେ ବୈଷ୍ଣବ ତିଳକଂ ଯୁକ୍ତାମ୍

ସୂର୍ଯ୍ୟକୋଟି ପ୍ରତିକାଂଶା ଚନ୍ଦ୍ରକୋଟିସୁଶୀତଳାମ୍ ।।

ନାନା ଭରଣଭୂଷିତାଂ ଦେବୀ ଅଷ୍ଟକୁମାରୀ ସେବିତାଂ

ଭଜାମି ମଙ୍ଗଳା ଦେବୀ ସର୍ବକାର୍ଯେଷୁ ମଙ୍ଗଳାମ୍।।

ଝଷବିଶାଳନୟନେ ଗୋପୟିତଶୁକବିଜନେ , ପାପତାପଖଣ୍ଡନନିପୁଣେ କୁନ୍ତଳବିଜିତଘନେ ।

ପାହି ଶ୍ରୀଗିରିରାଜସୁତେ କରୁଣାକଳିତେ , ପଦସରୋଜମନୁସ୍ମରାମି ତେ ଅମ୍ୱା।।

ଜୟ ମା ମଙ୍ଗଳା 

ବସନ୍ତସାନନ୍ଦେ କୁସୁମିତଲତାଭିଃ ପରିଵୃତେ ସ୍ଫୁରନ୍ନାନାପଦ୍ମେ ସରସି କଳହଂସାଳିସୁଭଗେ।

ସଖୀଭିଃ ଖେଳନ୍ତୀ ମଳୟପବନାନ୍ଦୋଳିତଜଳେ ସ୍ମରେଧ୍ୟସ୍ତ୍ୱାଂ ତସ୍ୟ ଜ୍ୱରଜନିତପୀଡାପସରତି।।

ଚୈତ୍ର ତୃତୀୟ ମଙ୍ଗଳବାର (ତୃତୀୟ ପାଳି ଯାତ୍ରା)

ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ। ବଲ୍ଲଭ ନୀତି ପରେ ପ୍ରାରମ୍ଭିକ ସମୟରେ ସକାଳ ଧୂପ କରାଯାଏ ଏବଂ ବନ୍ଦାପନା ଆଳତୀ ପରେ ସର୍ବସାଧାରଣ ଦର୍ଶନ ପାଇଁ ସାହାଣମେଲା କରାଦିଆଯାଏ। ଏବଂ ମା ଙ୍କୁ ଦର୍ଶନ କରିବା ସହ ସୀମନ୍ତିନୀ ଗଣ ମନ୍ଦିର ବେଢାରେ ପନ୍ଥେଇ ପୂଜା କରିଥାନ୍ତି।

ସକାଳ ଧୂପ ପରେ ପ୍ରାୟତଃ ମଧ୍ୟାହ୍ନ ସମୟରେ ପାଟୁଆ ନୃତ୍ୟ ଅନୁଷ୍ଠିତ ହୁଏ।

ଏହାପରେ ମନ୍ଦିର ଗର୍ଭଗୃହ ଖାଲି କରାଯାଇ ଦ୍ବିପ୍ରହର ଧୂପ ଓ ଭଅଣ୍ଡ ଧୂପ କରାଯାଏ ଏବଂ ଦ୍ବିପ୍ରହର ପହୁଡ ପଡେ। ସଂନ୍ଧ୍ଯା ଆଳତି କରାଯାଇ ଉଲାଗି ଓ ମାର୍ଜନା କରାଯାଏ। ବେଶ ପରେ ଭାଗବତ ପାଠ ହୁଏ ।

ପ୍ରାୟତଃ ମଧ୍ଯରାତ୍ରି ସମୟରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ଖମାରେଇ ପରିବାର ଏଥିପାଇଁ ଉଦ୍ଦିଷ୍ଟ। ନିର୍ଦ୍ଦିଷ୍ଟ ବ୍ୟକ୍ତି ଦିନସାରା ଉପବାସ କରିଥାଏ। ରାତ୍ରି ପ୍ରାୟ ୧୧ ଟାରେ ଦେବୀ ଙ୍କର ପୂର୍ବତନ ଗୋଶାଳା ରେ ମହାକାଳୀ ବେଶରେ ସଜ୍ଜିତ ହୋଇ ଖଡ୍ଗ ଧାରଣ ପୂର୍ବକ ଘଣ୍ଟ, ଢୋଲ, ମହୁରୀ, ମଶାଲ ମଧ୍ୟରେ ମା ଙ୍କ ମନ୍ଦିର ଅଭିମୁଖେ ନାଚି ନାଚି ଯାତ୍ରା କରେ। ଏକଥର ବେଢା ପରିକ୍ରମା କରି ମନ୍ଦିର ମଧ୍ଯକୁ ପ୍ରବେଶ କରେ। ମା ଙ୍କର ସଂନ୍ଧ୍ଯା ଆଳତି ର ପରବର୍ତ୍ତୀ ବେଶକୁ ଦର୍ଶନ କରି ଦକ୍ଷିଣ ଦ୍ବାର ଦେଇ ନିର୍ଗତ ହୁଏ। ନାନା ବାଦ୍ୟ ମଧ୍ୟରେ ଓ ଦର୍ଶକ ମାନଙ୍କ ଦ୍ଵାରା ବେଷ୍ଟିତ ହୋଇ ଏହି ତୃତୀୟ ପାଳିରେ ତିନି ଥର ବେଢା ପରିକ୍ରମା କରି କାକଟେଇଙ୍କ ମନ୍ଦିରକୁ ତିନି ଥର ପରିକ୍ରମା କରି ଦେବୀ ଙ୍କ ପୂର୍ବତନ ଗୋଶାଳା ଅଭିମୁଖେ ନାଚି ନାଚି ଚାଲିଥାଏ। ଗୋଶାଳା ନିକଟରେ ନିସ୍ତେଜ ହୋଇ ପତିତ ହୁଏ ଓ କାଳିକା ନାଚ ର ସମାପ୍ତି ଘଟିଥାଏ।

ରାତ୍ରି ଧୂପ, ଗୀତଗୋବିନ୍ଦ ପାଠ ଓ ବଡସିଂହାର ପରେ ଭ୍ରମଣୀ ନୀତି ଅନୁଷ୍ଠିତ ହୋଇଥାଏ।ମା’ ଙ୍କର ବଡସିଂହାର ଧୂପ ସରିବା ପରେ ମା’ ଙ୍କର ଚଳନ୍ତି ପ୍ରତିମା ଓ ଦୁର୍ଗା ପ୍ରତିମା ଙ୍କୁ ଗୋଟିଏ ଆସନରେ ରଖି ମା’ ଙ୍କର ମନ୍ଦିର ର ବେଢା କୁ ତିନି ଥର ପରିକ୍ରମା କରାଯାଇଥାଏ। ଏହାପରେ ମନ୍ଦିର କୁ ଫେରାଇ ନିଆଯାଇ ସିଂହାସନ ଉପରେ ‘ଭ୍ରମଣୀ ଭୋଗ’ ନାମରେ ଏକ ବାଲ୍ୟ ଭୋଗ ଅର୍ପଣ କରାଯାଇଥାଏ। ଏହାପରେ ମା’ ଙ୍କର ପହଡ ପଡିଥାଏ।

ପନ୍ଥେଇ_ପୂଜା

ଓଡ଼ିଆ ଘରର ଅନ୍ୟ ଏକ ବୈଶିଷ୍ଟ୍ୟ ଓ ପରିଚୟ ହେଉଛି ଚୈତ୍ର ମଙ୍ଗଳବାର ଓଷା। ମାଣବସା ଭଳି ପ୍ରତ୍ୟେକ ଘରର ଏହା ପର୍ବ। ମା ମଙ୍ଗଳାଙ୍କୁ ସୁମରଣା କରି ଗାଁ ଠାରୁ ସହର ଯାଏ ପ୍ରତି ଓଡ଼ିଆଙ୍କ ଦାଣ୍ଡରେ ଚୈତ୍ର ମଙ୍ଗଳବାରରେ ପନ୍ଥେଇ ପୂଜା ନିଶ୍ଚୟ ଦେଖିବାକୁ ମିଳେ। ପ୍ରତ୍ୟକ ମା’ ପୁତ୍ର,ନାତି, ସ୍ୱାମୀ ଓ ଘରର ମଙ୍ଗଳ ପାଈଁ ଏହି ଓଷା କରିଥାନ୍ତି।

ପୂଜାର_ବିଧାନ

ଏହି ପୂଜା ପାଈଁ ସେତେ ଆଡମ୍ବରର ଆବଶ୍ୟକତା ନଥାଏ। ମା’ ମାନେ ଏକାଠି ହୋଇ ଏହି ପୂଜା କରିଥାନ୍ତି। ଏକ ଚତୁଃସ୍କୋଣି କିମ୍ବା ତ୍ରିକୋଣି ଆକାରର ପନ୍ଥେଇ ଦାଣ୍ଡ ମାଟିରେ ଖୋଳା ଯାଇଥାଏ ଯେଉଁଥିରେ ମଝିରେ ଏକ ଗର୍ତ୍ତ ମଧ୍ୟ କରାଯାଇଥାଏ। ଗୋବର ପାଣିରେ ଲିପି ଏହାକୁ ଶୁଦ୍ଧ କରାଯାଏ। ଏହାପରେ ମା ମଙ୍ଗଳାଙ୍କ ପ୍ରତୀକ ସ୍ୱରୂପ ଏକ ଗୁଆ ତା ମଧ୍ୟରେ ରଖାଯାଏ। ତାକୁ ଚୁଆ ହଳଦୀ ପାଣିରେ ଗାଧେଇଦେଇ ଶଙ୍ଖାସିନ୍ଦୂର, ମନ୍ଦାର ପୁଷ୍ପମାନ ଆଦି ପିନ୍ଧାଇ ଦିଆଯାଏ। ଏହାପରେ ସେଇ ଗୁଆ ଥିବା ଗର୍ତ୍ତରେ ଛେନା, କଦଳୀ, ନଡିଆ, କ୍ଷୀର, ଗୁଡ ଆଦି ମିଶ୍ରିତ ପଣା ସେଥିରେ ସମର୍ପଣ କରାଯାଏ। ପୂଜା ପରେ ଏହି ପ୍ରସାଦରୁ କିଛି ପାଇ ଆଉ ସବୁ ସେଥିରେ ସେମିତି ଛାଡ଼ି ଦିଅନ୍ତି।

ପୂଜାର_ବିଶେଷତ୍ୱ

ଏହି ପ୍ରତୀକ ପୂଜା ଯେପରି ତନ୍ତ୍ରୋକ୍ତ ପୂଜା ଭଳି ମନେହୁଏ। ସେମିତି କୌଣସି ମୁଣ୍ମୟୀ ଦେବୀଙ୍କ ପୂଜା ଏଥିରେ ନଥାଏ। ଚତୁଃସ୍କୋଣି କିମ୍ବା ତ୍ରିକୋଣି ଆକାରର ପନ୍ଥେଇ ଶାକ୍ତ ଯନ୍ତ୍ରର ପ୍ରତୀକ ଓ ଆମେ ଜାଣିଛେ ପ୍ରତି ଯନ୍ତ୍ରର ଆକାର ଅନୁସାରେ କିଛି ନା ଶକ୍ତି ନିଶ୍ଚୟ ରହିଥାଏ। ମଝିରେ ଗର୍ତ୍ତରେ ଥିବା ଗୁଆ ମହାଶକ୍ତିଙ୍କର ପ୍ରତୀକ ଅଟେ ଯାହା ଏହି ଯନ୍ତ୍ରର କେନ୍ଦ୍ରବିନ୍ଦୁ ଅଟେ। ଆଉ ସବୁଠାରୁ ବିଶେଷ ହେଲା ସମର୍ପିତ ପଣା। ଜଣାନାହିଁ ଏହି ପଣା ଉପଚାର କାହିଁ କେଉଁ ଅନାଦି କାଳରୁ ଓଡ଼ିଆର ବିଶେଷତା ହୋଇ ଆସିଛି। ବୋଧହୁଏ ଦୁଷ୍ଟଶକ୍ତି ମାନଙ୍କୁ ଘରେ ପ୍ରବେଶ ନକରିବାକୁ ଦେଇ ଏହିଠାରେ ତୁଷ୍ଟ କରିବା ହିଁ ହେଉଛି ଏହି ପୂଜାର ପ୍ରୟୋଜନ। ହୋଇପାରେ ଚୈତ୍ର ମାସ ଯେହେତୁ ଋତୁ ପରିବର୍ତ୍ତନର ସମୟ ତେଣୁ ଏହି ସମୟରେ ମହାବ୍ୟାଧି ମାନ ହେବା ସ୍ଵାଭାବିକ କଥା। ତେଣୁ ପ୍ରତି ଘରମାନଙ୍କ ଦ୍ୱାର ଦେଶରେ ଏହି ପୂଜା କରିବା ଦ୍ୱାରା ଦୁଷ୍ଟ ଶକ୍ତି ମାନେ ଆମ ଘରେ ପ୍ରବେଶ ନ କରି ପାରିବେ ବୋଲି ଏହି ବ୍ୟବସ୍ଥା କରାଯାଇଅଛି। ଯେପରି ମା ମଙ୍ଗଳା ଓଡ଼ିଆର ଇଷ୍ଟ ଦେବୀ ଅଟନ୍ତି ସେଇଭଳି ଏହି ପନ୍ଥେଇ ପୂଜା ପ୍ରତି ଓଡ଼ିଆଙ୍କର ପରିଚୟ ଅଟେ।

Related Post